ଆମ ଭାରତ ହେଉଛି ଏକ ଗଣତାନ୍ତ୍ରିକ ଦେଶ। ସେଥିରେ ସମସ୍ତଙ୍କର ସମାନ ଅଧିକାର ରହିଥାଏ। ଯେମିତି ଘର ଚଲେଇବା ପାଇଁ ଘରେ ମୁରବି ରହି ଥାଆନ୍ତି, ସେମିତି ଭାବରେ ଆମ ଦେଶ ବା ରାଜ୍ୟ ଚଳେଇବା ପାଇଁ ଜନସାଧାରଣ ମାନେ ଜଣେ ଦକ୍ଷ ଲୋକଙ୍କୁ ନେତା ଭାବରେ ବାଛି ଥାଆନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଦେଖା ଯାଉଛି ଯେ, ଆମେ ଯାହାକୁ ନେତା ଭାବରେ ବାଛୁଚୁ ସେମାନେ ଲୋକ ମାନଙ୍କ ସେବା କରିବା ପରିବର୍ତ୍ତେ ନିଜର ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।
କିନ୍ତୁ ସବୁ ନେତାଙ୍କୁ ଆମେ ସମାନ କହି ପାରିବା ନାହିଁ, ଯେଉଁମାନେ କି ନିଜ ସ୍ୱାର୍ଥ ଅପେକ୍ଷା ଜନସଧାରଣ ମାନଙ୍କ ସେବା କରି ଥାଆନ୍ତି। ସବୁ ନେତା ମାନଙ୍କ ମଧ୍ୟରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଦକ୍ଷ ନେତା ଭାବରେ ପରିଚିତ। କିନ୍ତୁ ତାଙ୍କର କିଛି ମିଛ ପ୍ରତିଶ୍ରୁତି ପାଇଁ ଆଜି ଅଡୁଆରେ ଜଣେ ଗରିବ ଚାଷୀ।
ତେବେ 2014 ମସିହା ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ପ୍ରତିଶ୍ରୁତି ଜନତାଙ୍କ ପାଇଁ କାଳ ହୋଇଛି । ଦେଶକୁ କଳାଧନ ଆସିବ ଓ ସମସ୍ତଙ୍କ ଆକାଉଣ୍ଟକୁ 15 ଲକ୍ଷ ଟଙ୍କା ପଠାଯିବ ବୋଲି ମୋଦି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅନେକ ଗରିବ ତଥା ଅଶିକ୍ଷିତ ଶ୍ରେଣୀର ଲୋକେ ଏହାକୁ ସତ ବୋଲି ଭାବି ଆଜି ବି ଟଙ୍କା ପାଇବାକୁ ଚାହିଁ ରହିଛନ୍ତି ।
ନିକଟରେ ଜଣେ ବ୍ୟକ୍ତିଙ୍କ ଜନଧନ ଆକାଉଣ୍ଟକୁ ହଠାତ୍ 15 ଲକ୍ଷ ଟଙ୍କା ଆସିଥିଲା । ଏହାପରେ ମୋଦି ଟଙ୍କା ପଠାଇଛନ୍ତି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଖୁସି ବ୍ୟକ୍ତ କରିବା ସହ ଉକ୍ତ ଅର୍ଥକୁ ଘର ନିର୍ମାଣରେ ବିନିଯୋଗ କରିଦେଇଥିଲେ । ମାତ୍ର ଏହାର କିଛିଦିନ ପରେ ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲା । ଏଭଳି ସ୍ଥିତିରେ ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ମୋଦିଙ୍କ ପାଇଁ ହରଡ଼ଘଣାରେ ପଡ଼ିଯାଇଛନ୍ତି ।
ଜଣାପଡ଼ିଛି ଯେ, ଗତ ବର୍ଷ ଅଗଷ୍ଟ 17 ତାରିଖରେ ମହାରାଷ୍ଟ୍ରର ଔରଙ୍ଗାବାଦର ପୈଠିକ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜନଧନ ଖାତାକୁ 15 ଲକ୍ଷ ଟଙ୍କା ଆସିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଟଙ୍କା ପଠାଇଛନ୍ତି ବୋଲି ଭାବି ସେ ଚିଠି ଲେଖି ଧନ୍ୟବାଦ ଜଣାଇବା ସହ ଉକ୍ତ ଅର୍ଥକୁ ଘର ନିର୍ମାଣରେ ଲଗାଇଥିଲେ । ମାତ୍ର ଟଙ୍କା ଭୁଲରେ ଆସିଥିବା ନେଇ ବ୍ୟାଙ୍କ ତରଫରୁ 6 ମାସ ପରେ ତାଙ୍କ ପାଖକୁ ଏକ ନୋଟିସ୍ ଆସିଥିଲା । ଉକ୍ତ ଅର୍ଥ ଫେରସ୍ତ କରିବାକୁ ବ୍ୟାଙ୍କ କର୍ମଚାରୀ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ ।
ଏହାପରେ ସମ୍ପୃକ୍ତ ଗରିବ କୃଷକ ଜଣଙ୍କ ଏବେ ଏତେ ମୋଟାଅଙ୍କର ଅର୍ଥ କେଉଁଠୁ ଆଣିବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେ ପ୍ରଥମେ ତାଙ୍କ ଆକାଉଣ୍ଟରୁ 9 ଲକ୍ଷ ଉଠାଇ ଦେଇଥିବା ବେଳେ ଅବଶିଷ୍ଟ 6 ଲକ୍ଷ ବାଲାନ୍ସକୁ ବ୍ୟାଙ୍କ ଫେରାଇ ନେଇଛି । ଏବେ ଆଉ 9 ଲକ୍ଷ ଫେରସ୍ତ କରିବାକୁ ବ୍ୟାଙ୍କ ତାଙ୍କ ଉପରେ ଚାପ ପକାଉଛି । ପଞ୍ଚାୟତ ପାଇଁ ଆସିଥିବା ଅର୍ଥ ଭୁଲ ବଶତଃ ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ବୋଲି ବ୍ୟାଙ୍କ ପକ୍ଷରୁ ସଫେଇ ଦିଆଯାଇଛି ।