“ମୁଖ୍ୟମନ୍ତ୍ରୀ ସାର୍ ଭୂମିଷ୍ଠ ପ୍ରଣାମ । ମୁଁ ସୁଭଦ୍ରା ପଣ୍ଡା । ମୁଁ ବଡ ହେଲା ପରେ ଜାଣିଲି ମୋତେ ମୋ ବାପା ମାଁ ଏଭଳି ଆଣି ପାଳିଛନ୍ତି । ମୁଁ 21 ଦିନର ହୋଇଥିବା ବେଳେ ମୋତେ ଆଣି ପାଳିଥିଲେ, ମୋର ପ୍ରକୃତ ବାପା ମାଁ କିଏ ମୁଁ ଜାଣିନି କିନ୍ତୁ କୁଆଡେ ମୁଁ ଗୋଟିଏ ପଛୁଆ ଜାତିର ଝିଅଟି । ଆଉ ସେଥିପାଇଁ ମୋତେ କେହି ବି ଛୁଉଁ ନାହାଁନ୍ତି କି ପାଖକୁ ଆସୁନାହାନ୍ତି, ଏପଟେ ଘରର ଆର୍ଥିକ ସ୍ଥିତି ଯାହା କେହି ବି ସାହାୟ୍ଯ ଟିକିଏ କରୁନାହାନ୍ତି । ମୁଁ ଅତି ଅସହାୟ ମୋତେ ସାହାୟ୍ଯ ଟିକିଏ କରନ୍ତୁ ଆଉ ନିଜ ସ୍ବପ୍ନ କଥା ବି କହିଛନ୍ତି। ” ତେବେ ଶୁଭଦ୍ରା ଏ ଚିଠିରେ ଆହୁରି ବହୁତ କିଛି ଲେଖିଛନ୍ତି ମାନ୍ଯବର ମୁଖ୍ଯମନ୍ତ୍ରୀ ଙ୍କ ନିକଟକୁ ଯାହାକି କେହି ବି ଶୁଣିଲେ ଆଖିରେ ଲୁହ ଆସିଯିବ ।
ତେବେ ବାଲେଶ୍ୱର ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ନେଇ ଆଜି ସାରା ଓଡ଼ିଶାରେ ଚର୍ଚ୍ଚା । ବାପା-ମା’ ଛେଉଣ୍ଡ ସୁଭଦ୍ରାଙ୍କ ଆଜି ଜୀବନ ସହିତ ସଂଘର୍ଷ କରୁଛନ୍ତି । ଜଣେ ବ୍ୟକ୍ତି ସୁଭଦ୍ରାଙ୍କୁ ଆଣି ଲାଳନପାଳନ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ପରେ ସୁଭଦ୍ରା ତାଙ୍କର ରୋଗିଣା ମା’ ସହିତ ଦୁଃଖକଷ୍ଟରେ ଜୀବନ ବିତାଇଥିଲେ । ଛୁଇଁଲେ ଅଶୁଭ ହେବ ବୋଲି ତାଙ୍କୁ ପାଖ ସାଇପଡ଼ିଶା କେହି ଛୁଇଁ ନଥିଲେ ।
ଜାତିରେ କଣ୍ଡରା ହୋଇଥିବାରୁ ସୁଭଦ୍ରାଙ୍କୁ କେହି ପାଖରେ ବସାନ୍ତି ନାହିଁ । ମାଆ ପାଉଥିବା 5 ଶହ ଟଙ୍କା ଭତ୍ତାରେ ଦୁହେଁ ଓଳିଏ ଖାଇ ଓଳିଏ ଉପାସ ରହୁଥିଲେ । ଘର ଭାଙ୍ଗିରୁଜି ଯାଇଥିଲେ ହେଁ ମରାମତି କରିବାକୁ ପାଖରେ ପଇସାଟିଏ ନାହିଁ । ତେଣୁ ନିଜର ଦୁଃଖ ଦୂର କରିବା ପାଇଁ ସୁଭଦ୍ରା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସୁଭଦ୍ରାଙ୍କ ପାଖକୁ ଫୋନ୍ ଆସିଥିଲା । ଏଥିସହିତ ବିଭିନ୍ନ ସହୃଦୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ ସୁଭଦ୍ରାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।
ଏବେ ସୁଭଦ୍ରାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଜଣେ ଅଭିନେତ୍ରୀ । ସେ ହେଉଛନ୍ତି ତରଙ୍ଗ ଟିଭିର ସିରିୟଲ ଅଭିନେତ୍ରୀ ଉମା । ସୁଭଦ୍ରାଙ୍କ ଦୁଃଖକୁ ସହ୍ୟ କରି ପାରି ନାହାନ୍ତି ଉମା । ତେଣୁ ଉମା ସୁଭଦ୍ରାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିବା ସହ ତା’ର ଲାଳନ ପାଳନ ଦାୟିତ୍ୱ ନେଇଛନ୍ତି । ଦେଢ଼ବର୍ଷ ତଳେ ଉମାଙ୍କର ଜଣେ ଭଉଣୀ ଆରପାରିକୁ ଚାଲିଯାଇଥିଲେ ।
ତେଣୁ ସୁଭଦ୍ରାଙ୍କ ଦୁଃଖ କାହାଣୀ ଶୁଣିବା ପରେ ଉମାଙ୍କୁ ବହୁତ କଷ୍ଟ ଲାଗିଥିଲା । ସୁଭଦ୍ରାଙ୍କର ପାଠପଢ଼ା ଦାୟିତ୍ୱ ବହନ କରିବା ସହ ଭଉଣୀର ପରିଚୟ ପ୍ରଦାନ କରିବେ ବୋଲି ଉମା ପ୍ରତିଶ୍ରୁତି ଦେଇଛନ୍ତି । ଉମାଙ୍କ ପ୍ରକୃତ ସାନ ସୋନାକ୍ଷୀ ସାହୁ ହୋଇଥିବା ବେଳେ ସେ ‘ଝିଅ ଆମର ନୂଆ ବୋହୂ’ ସିରିୟଲରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଉମାଙ୍କର ଏହି ମହତ୍ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆମର ଆଶା ।