ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ପିଣ୍ଟୁ ନନ୍ଦ । ଆଉ ନାହାନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ମାତ୍ର 47 ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ସମସ୍ତ ନ୍ୟୁଜକୁ ସୂଚନା ଦେଇଛନ୍ତି ହସ୍ପିଟାଲ ଅଧିକାରୀ । ପିଣ୍ଟୁଙ୍କ ପରଲୋକରେ ଆଉ ଏକ ତାରକାଙ୍କୁ ହରାଇଛି ଓଡ଼ିଆ ସିନେ ଜଗତ । ପିଂଟୁ ନନ୍ଦ ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ।
ପ୍ରଥମେ ତାଙ୍କର ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ହୋଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ଦିଲ୍ଲୀରୁ ପୁଣି ପିଂଟୁ ନନ୍ଦଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ଡାକ୍ତର ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଂଟ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରାୟ 50 ଲକ୍ଷ ଟଙ୍କା ଦରକାର ହେଉଥିଲା । ଚିକିତ୍ସା ପାଇଁ ଚାରିଆଡ଼ୁ ସହାୟତା ନିବେଦନ କରାଯାଇଥିଲା । ଏମିତିକି ତାଙ୍କ ପରିବାରର ଜଣେ ସଦସ୍ୟ ତାଙ୍କୁ ଲିଭର ଦାନ କରିବାର ଥିଲା । କିନ୍ତୁ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ନକରିବା ଓ ଅନ୍ୟାନ୍ୟ କାରଣରୁ ତାହା ଫଳପ୍ରଦ ହୋଇପାରିନଥିଲା ।
ବୁଧବାର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବା ପରେ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଡାକ୍ତର ତାଙ୍କୁ ବଂଚାଇବା ପାଇଁ ସବୁ ଉଦ୍ୟମ କରିଥିଲେ ମଧ୍ୟ ବିଫଲ ହୋଇଥିଲେ ।ବୁଧବାର ରାତି 11 ଟା 25 ମିନିଟ୍ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 47 ବର୍ଷ ବୟସ ହୋଇଥିଲା। ପିଣ୍ଟୁଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ ଲିଭର୍ ସିରୋସିସ୍ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ. ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା. ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଦୁଃଖଦ କଥା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସୂଚନାଥାଉ କି, ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍ ଏକ୍ସପ୍ରେସ୍’ ଆଦି ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଓଡ଼ିଆ ଆଲବମ୍ ‘ଏ ଗଉରା’ ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା।