ନିଆଁରେ ଡେଉଁଛନ୍ତି କୃତ୍ରିମ ବର୍ଷାରେ ଭିଜୁଛନ୍ତି ଶୂନ୍ୟରେ ଝୁଲିଝୁଲି ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ନୃତ୍ୟ କମ୍, ସର୍କସ ବେଶି ପ୍ରଦର୍ଶନ କରୁଛନ୍ତି। ଯାତ୍ରା ମଇଦାନରେ ୬ଟି ଯାତ୍ରା ଦଳ ପରସ୍ପରକୁ ଟକ୍କର ଦେଉଥିବା ବେଳେ ମେଲୋଡିକୁ ଦମଦାର କରିବା ପାଇଁ ଏଇଭଳି ନୂଆନୂଆ କଥା ଖଞ୍ଜିଛନ୍ତି ନୃତ୍ୟ ସଂଯୋଜକ। ଯାତ୍ରା ମଇଦାନ ଯେମିତି ଯାତ୍ରା କଳାକାରଙ୍କ ପାଇଁ ବି ଏକ ଅଘୋଷିତ ରଣଭୂମି ପାଲଟିଛି। ସବୁ ପାର୍ଟିର କଳାକାର ପରସ୍ପରକୁ ମାତ୍ ଦେବାକୁ ସଜବାଜ ହୋଇ ଓହ୍ଲାଇଛନ୍ତି।
କାହାର ମେଲୋଡି ମନ ଜିଣୁଛି ତ କାହାର ନାଟକ ରାତି ପାହିଲା ଯାଏ ବାନ୍ଧି ରଖୁଛି। ଦର୍ଶକ ନିଜ ମନ ପସନ୍ଦର କଳାକାରଙ୍କୁ ପୋଷ୍ଟରରୁ ଦେଖି ନାଟକ ଦେଖିବାକୁ ପସନ୍ଦ କରୁଛନ୍ତି। ଦ୍ବିତୀୟ ପାଳିରେ ଯାତ୍ରା ଜଗତର ନାମୀ କଳାକାରଙ୍କ ସମାଗମ ହୋଇଥିବାରୁ ସେମାନଙ୍କ ମନଛୁଆଁ ଅଭିନୟରେ ବିଭୋର ହେବାକୁ ଖଣ୍ଡଗିରିରେ ହଜାର ହଜାର ଦର୍ଶକଙ୍କ ରାତି ବିତୁଛି।
ରେକର୍ଡ ଡ୍ୟାନ୍ସ ରେ ରଙ୍ଗ ଭରୁଛି ତୁଳସୀ ୬ଟି ଯାତ୍ରା ଦଳ ଯାତ୍ରା ପ୍ରଦର୍ଶନ କରୁଥିବା ବେଳେ କେହି ବି ନାଟକ ପରିବର୍ତନ କରିବା ସପକ୍ଷରେ ନାହାନ୍ତି। ନାଟକ ରିପିଟ୍ କରି ଶେଷ କରିବେ ବୋଲି ଯେମିତି ରାଣ ଖାଇଛନ୍ତି। ମହତାବ ପେଣ୍ଡାଲ୍ ରେ ଗତକାଲିଠୁ ମାୟା ଲଗାଇଛନ୍ତି ତୁଳସୀ ଗଣନାଟ୍ୟର ଜୁଲି ପଣ୍ଡା ଓ ହୃଷୀ। ନାଟକ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ଦେଖି ଦର୍ଶକ ଏକ ନିଆରା ଅନୁଭୂତି ନେଇ ଫେରୁଛନ୍ତି।
କାହାଣୀ ଜବରଦସ୍ତ ଥିବା ବେଳେ ରେକର୍ଡ ଡ୍ୟାନ୍ସ ରେ ମଧ୍ୟ ରଙ୍ଗ ଭରୁଛି ତୁଳସୀ। ଆସନ୍ତାକାଲି ମଧ୍ୟ ସେଇ ନାଟକ ମଂଚସ୍ଥ ହେବ ବୋଲି କମିଟି ର ସଭାପତି କୃଷ୍ଣଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ନିକଟ ଘାଟିକିଆ ପେଣ୍ଡାଲ୍ ରେ ସନାତନ ସେବା ସମିତି ପକ୍ଷରୁ ଯାତ୍ରା ଇନ୍ଦ୍ରଭୁବନ ସମାନ ନାଟକ ‘ଭାଇ ଭଉଣୀର ନୂଆ କାହାଣୀ’ ମଂଚସ୍ଥ କରୁଛି।ସମ୍ପାଦକ ମହେନ୍ଦ୍ର ଗୁରୁ ସୂଚନା ଦେଇଛନ୍ତି। କେସିଏ ପଡ଼ିଆ-୨ରେ ମଧ୍ୟ ମୌସୁମୀଙ୍କୁ ଦେଖିବା କୁ ଭିଡ଼ ଜମୁଛି। ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷ ରୁ ମଂଚସ୍ଥ ନାଟକ ‘ମାୟାବିନୀ ମୌସୁମୀ’ ରେ ନାମୀ କଳାକାର ଙ୍କ ଅଭିନୟ ନାଟକ କୁ ବଳିଷ୍ଠ କରିଛି। ଆଲୋକ ସଜା ରେ ବାଜି ମାତ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ସାଂସ୍କୃତିକ କମିଟି ର ମୁଖ୍ୟ ବିଜୟ ଜେନା କହିଛନ୍ତି।
ରିପିଟ୍ ନାଟକକୁ ଦର୍ଶକଙ୍କ ପସନ୍ଦ ଇନ୍ଦିରା ସାଂସ୍କୃତିକ ସଂସଦ ପକ୍ଷରୁ ଖଣ୍ଡଗିରି କଳିଙ୍ଗ ପେଣ୍ଡାଲ୍ରେ ଯାତ୍ରା ମଂଚସ୍ଥ କରୁଥିବା ଶିବାନୀ ଗଣନାଟ୍ୟ ମଧ୍ୟ ‘ରଙ୍ଗ ଲଗେଇଛି ରଙ୍ଗ ନାଗରୀ’ ନାଟକକୁ ରିପିଟ୍ କରିଛି। ବିଶେଷକରି ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ଟିକିଙ୍କ ଅଭିନୟ ଦେଖିବାକୁ ବେଶ୍ ଭିଡ଼ ଜମୁଛି। ଏଥିସହ ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ କେସିଏ ପଡ଼ିଆରେ ‘ରଙ୍ଗ ମହଲ’ ମଧ୍ୟ ସେଇ ସମାନ ନାଟକ ‘ମୁଁ ସେଇ ଭଦ୍ରକିଆ ଟୋକା’କୁ ରିପିଟ୍ କରି ପ୍ରଶଂସା ସାଉଁଟିଛି। ଭଦ୍ରକିଆ ଟୋକା ଭୂମିକାରେ ସୁବାସଙ୍କୁ ଦର୍ଶକୀୟ ଆଦୃତି ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।